• ଭାରତ, ଶ୍ରୀଲଙ୍କା, ନେପାଳ, ଭୂଟାନ ଓ ଥାଇଲାଣ୍ଡର ଗବେଷକଙ୍କ ଯୋଗଦାନ
  • ୭ଟି ବିଷୟରେ ୮୩ଟି ମୌଳିକ ନିବନ୍ଧ ଉପସ୍ଥାପିତ
  • ୩ଟି ପୁସ୍ତିକାର ପ୍ରକାଶନ

ଭୁବନେଶ୍ୱର, ୨୦ ମାର୍ଚ୍ଚ ୨୦୧୭ : ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଇନ୍‍ଷ୍ଟିଚ୍ୟୁଟ୍ ଅଫ୍ ମିଡ଼ିଆ ଷ୍ଟଡିଜ୍ (ଆଇଏମ୍ଏସ୍) ଆନୁକୂଲ୍ୟରେ ତଥା ଆଇସିସିଆର ଏବଂ ଓଡ଼ିଶା ଲାଇଭ୍ ସହଯୋଗରେ ଆୟୋଜିତ ଭାରତୀୟ ସାଂସ୍କୃତିକ ଐତିହ୍ୟ ଶୀର୍ଷକ ୩ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍ୟାପିତ ହୋଇଯାଇଛି ।

ଏହି ସମାରୋହରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଡେଭେଲପ୍‌ମେଣ୍ଟ କମିସନର ଆର୍ ବାଲକ୍ରିଷ୍ଣନ୍ କହିଥିଲେ ଯେ ଭାରତୀୟ ସଂସ୍କୃତି ଓ ଐତିହ୍ୟ ଏକ ବହୁତ ବଡ଼ ବିଷୟ । ଏବେ ମଧ୍ୟ ଏହାର ଅନେକ ଦିଗ ରହିଛି ଯାହା ଉପରେ ଅଧିକ ଗବେଷଣା କରାଗଲେ ଆମ ସଂସ୍କୃତିର ବିବିଧତା, ଗଭୀରତା ତଥା ବୈଚିତ୍ର୍ୟ ସମ୍ପର୍କରେ ନୂଆ ନୂଆ କଥା ଲୋକଲୋଚନକୁ ଆସିପାରିବ । ତେଣୁ ଏ କ୍ଷେତ୍ରରେ ଅଧିକ ମୌଳିକ ଗବେଷଣା କରିବା ସହ ସତ୍ୟନିଷ୍ଠ ହେବା ପାଇଁ ସେ ଗବେଷକମାନଙ୍କୁ ପରାମର୍ଶ ଦେଇଥିଲେ ।

ଭାରତ, ନେପାଳ, ଭୂଟାନ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡରୁ ଶତାଧିକ ଶିକ୍ଷାବିତ୍ ଓ ଗବେଷକ ଏହି ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଇଥିଲେ। ବିଶେଷକରି ରବିବାର ସାରାଦିନ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଦୂର ଓ ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟ (ଡିଡିସିଇ) ପରିସରରେ ଦୁଇଟି ପ୍ଲିନାରି ଅଧିବେଶନ ସହ ସାତୋଟି ଟେକ୍ନିକାଲ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସାତୋଟି ଭିନ୍ନ ଭିନ୍ନ ବିଷୟରେ ତେୟାଅଶୀ ଜଣ ସେମାନଙ୍କର ମୌଳିକ ନିବନ୍ଧ ଉପସ୍ଥାପନ କରିଥିଲେ । ସୋମବାର ଦିନ ପୂର୍ବାହ୍ନରେ ଆୟୋଜିତ ଉଦ୍ୟାପନୀ ସମାରୋହରେ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ସମ୍ମିଳନୀର ଆବାହକ ତଥା ଆଇଏମଏସର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ଦେଶବିଦେଶରୁ ଆସିଥିବା ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କ ବଳିଷ୍ଠ ଉପସ୍ଥାପନା ପାଇଁ କୃତଜ୍ଞତା ଜଣାଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ବଳ, ଡିଡିସିଇର ନିର୍ଦ୍ଦେଶକ ପ୍ରଫେସର ସୁସ୍ମିତ୍ ପାଣି, ସାଧାରଣ ପ୍ରଶାସନ ବିଭାଗର ମୁଖ୍ୟ ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ, ଏକାଡେ଼ମିକ୍ କୋଅର୍ଡିନେଟର ଡକ୍ଟର ପ୍ରଜ୍ଞାପାରମିତା ପାଣିଗ୍ରାହୀ ଏବଂ ସମ୍ମିଳନୀର ଯୁଗ୍ମ ଆବାହକ ତଥା ଓଡ଼ିଶା ଲାଇଭ୍ ମିଡ଼ିଆର ସିଇଓ ନୀଳାମ୍ବର ରଥ ଏହି ଅବସରରେ ସମ୍ମିଳନୀର ସଫଳତା ପାଇଁ ଅଂଶଗ୍ରହଣକାରୀ ଏବଂ ବିଭିନ୍ନ ସହଯୋଗୀ ଅନୁଷ୍ଠନ ଓ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଥିଲେ ।

କାର୍ଯ୍ୟକ୍ରମ ପରିଶେଷରେ ବିଦେଶରୁ ଆସିଥିବା ଶିକ୍ଷାବିତ୍ ଓ ଗବେଷକମାନେ ସମ୍ମିଳନୀ ସମ୍ପର୍କରେ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ । ଏହି ତିନିଦିନିଆ କାର୍ଯ୍ୟକ୍ରମ ମଧ୍ୟରେ ବିଭିନ୍ନ ନିବନ୍ଧର ଉପକ୍ରମଣିକାକୁ ନେଇ ପ୍ରସ୍ତୁତ “ଆବ୍‌ଷ୍ଟ୍ରାକ୍ଟସ୍’ ସହିତ ତିନୋଟି ଗବେଷଣାଧର୍ମୀ ପୁସ୍ତିକା ଉନ୍ମୋଚିତ ହୋଇଛି ।